ବିକଶିତ ଭାରତ ସଂକଳ୍ପ ଯାତ୍ରା

ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅନ୍ତର୍ଗତ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଉତ୍ତରକୂଳ ପଂଚାୟତରେ ଆମ ସଂକଳ୍ପ ବିକଶିତ ଭାରତ, ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ରଥ ପହଞ୍ଚବା ପରେ ପଂଚାୟତ ପକ୍ଷରୁ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉତ୍ତରକୂଳ ପଂଚାୟତର ସରପଞ୍ଚ ସୁଭାଷିନୀ ବେହେରା ବନ୍ଦାପନା କରି ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଦୀ ସରକାରର ଗ୍ୟାରେଣ୍ଟି ପ୍ରଚାର ରଥ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ବିଗତ ଦଶ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଗରିବ ମହିଳା, ଯୁବ ଏବଂ କୃଷକଙ୍କର ସାମାଜିକ ଏବଂ ଆର୍ଥିକ ବିକାଶର ବାର୍ତ୍ତା ପ୍ରଦାନ କରିବା, ଯେଉଁମାନେ କୌଣସି ବି କାରଣରୁ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଏହି ପ୍ରଚାର ରଥ ମୋଦୀ ସରକାରଙ୍କ ଯୋଜନା ସହ ଯୋଡି ହେବାର ସୁଯୋଗ ଦେବା ଆଦି ବିଷୟରେ ସାଧାରଣ ଜନତାମାନଙ୍କୁ ଅବଗତ କରାଯାଇଥିଲା । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀମାନେ ନିଜ ନିଜର ମତ ରଖିଥିଲେ । ପ୍ରଧାନମନ୍ତ୍ରୀ କିସାନ ଯୋଜନା ମହିଳାମାନଙ୍କ ପାଇଁ ରନ୍ଧନ ବାସ୍ପ (ଉଜ୍ଜାଲା) ଯୋଜନା ସ୍ୱଚ୍ଛ ଭାରତ ମିଶନ ଜରୀଆରେ ଶୌଚାଳୟ ଯୋଜନା, ଗରିବ ଅନ୍ନ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ କେନ୍ଦ୍ର ସରକାରଙ୍କ ବହୁ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା ହୋଇଥିଲା । ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ଗୋକୁଳାନନ୍ଦ କଅଁର, ନାଏବ ସରପଂଚ ନିମାଇଁ ମହାପାତ୍ର, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ ରୁନୁଲତା ସାହୁ, ପଂଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ, ଆଶାଦିଦି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀ ରଂଜନ ପରିଡା, ଯଶୋବନ୍ତ ବେହେରା, ଅକ୍ଷୟ ପରିଜା, ତୁଷାର ବେଉରା, ସଞ୍ଜୟ ଦାସ, ବାବୁଲି ବେଉରାଙ୍କ ସମେତ ବହୁ ୱାର୍ଡ ସଭ୍ୟ ସଭ୍ୟା ଓ ସ୍ଥାନୀୟ ପଂଚାୟତର ଶତାଧିକ ପୁରୁଷ ମହିଳା ଯୋଗଦେଇଥିଲେ । ଏହି ପରୀପ୍ରେକ୍ଷୀରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ଉପସ୍ଥିତ ଥିବା ଲୋକମାନଙ୍କର ରକ୍ତଚାପ, ମଧୁମେହ, ଓଜନ, ସୁଗାର(ଶର୍କରା) ପରୀକ୍ଷା ନିରୀକ୍ଷା କରାଯାଇଥିଲା । କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟକର୍ମୀ ବିଜୟଲକ୍ଷ୍ମୀ ମହାନ୍ତି, ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ରାମଚନ୍ଦ୍ର ବିନ୍ଧାଣୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା କରିଥିଲେ ।

Leave a comment
Latest news