ବୈତରଣୀରେ ଲୀନ ହେବ ବନ୍ଦାଳୋ-ମଢ଼ିଆଳି ?
ପୂଣ୍ୟତ୍ରୟା ବୈତରଣୀ ନଦୀର ପରିବର୍ତ୍ତିତ ରୂପ ଯୋଗୁ ଏବେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ବନ୍ଦାଳୋ-ମଢ଼ିଆଳି ନାମରେ ନାମିତ ହୋଇଥିବା ପଞ୍ଚାୟତ ନାଁ ଲିଭିଯିବାକୁ ବସିଛି। ଏହାର ପ୍ରମୁଖ କାରଣ ହେଲା ପ୍ରାୟ ଦୁଇ ତିନି ବର୍ଷ ହେବ ବୈତରଣୀ ରୂପ ବଦଳାଇ ମଢ଼ିଆଳି ଗାଁ ଆଡକୁ ମାଡି ଆସୁଥିବାରୁ ଆଉ କିଛି ବର୍ଷ ପରେ ପଞ୍ଚାୟତର ଭୌଗଳିକ ଚିତ୍ରରୁ ଗ୍ରାମ ଯେ ଲୋପ ପାଇବ ଏଥିରେ ସନ୍ଦେହ ନାହିଁ। ପଞ୍ଚାୟତର ଦୁଇ ଗୋଟି ୱାର୍ଡକୁ ନେଇ ମଢ଼ିଆଳି ଗାଁଟି ଗଠନ ହୋଇଥିବା ବେଳେ ଜନସଂଖ୍ୟା ପ୍ରାୟ ଦେଢ଼ ହଜାରରୁ ଅଧିକ ହେବ। ଗ୍ରାମର ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବୈତରଣୀ ସତେ ଯେମିତି ତାଙ୍କ ପାଇଁ ଏବେ ଦୁଃଖର କାରଣ ପାଲଟିଛି। ଗାଁ ମୁଣ୍ଡ ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀ ଠାରୁ ସ୍ମଶାନ ଘାଟ ଯାଏଁ ପ୍ରାୟ ୮୦୦ମିଟର ନଦୀ ଏବେ ଗାଁ ଆଡକୁ ମାଡି ଆସୁଛି। ଉପରମୁଣ୍ଡରେ ଦୁଲଖାପାଟଣାରୁ ବନ୍ଦାଳୋକୁ ସଂଯୋଗ କରୁଥିବା ନିର୍ମାଣାଧୀନ ସେତୁ ଓ ତଳ ମୁଣ୍ଡରେ ଗୋଳବା ସରକାରୀ ବାଲି ସୈରାତ ଯୋଗୁ ନଦୀ ଦିନକୁ ଦିନ କୁଳ ଲଂଘୁଥିବା କୁହାଯାଉଛି। ୨୦୨୦ ମସିହା ବନ୍ୟା ଠାରୁ ଅଦ୍ୟାବଧି ପ୍ରାୟ ଦୁଇ ବର୍ଷ ମଧ୍ୟରେ ବୈତରଣୀ ଏବେ ସୁଦ୍ଧା ୨୦ରୁ୩୦ଫୁଟ ଗାଁ ଆଡକୁ ମାଡି ଆସିଲାଣି। ବୈତରଣୀ ନଦୀ କୂଳେ କୂଳେ ଥିବା ଅନାବାଦୀ ସହିତ ବ୍ୟକ୍ତିଗତ ପାଳପନିୟରି ଚାଷ ଉପଯୋଗୀ ଜାଗା ମଧ୍ୟ ଧୀରେ ଧୀରେ ନଦୀଗର୍ଭରେ ଲୀନ ହୋଇଗଲାଣି। ପରିସ୍ଥିତି ଏଭଳି ହୋଇଛି ଯେ ଗାଁର ଦାଣ୍ଡ ତୁଠ, ଜାଗୁଳାଇ ତୁଠ, ଖୁଣ୍ଟିଆସାହି ଓ ମୁସଲମାନ ସାହି ତୁଠକୁ ଯିବା ପାଇଁ ଲୋକେ ଭୟ କରୁଛନ୍ତି। ବିଗତ ଦିନରେ ଉକ୍ତ ସ୍ଥାନକୁ ସ୍ନାନ ଶୌଚ କରିବାକୁ ଯାଇ ଦୁଇ ଚାରିଜଣ ଗ୍ରାମବାସୀଙ୍କର ନଦୀରେ ଶଲୀଳ ସମାଧି ହୋଇଛି। ନଦୀ ତଟ ସୁରକ୍ଷା ପାଇଁ ଗ୍ରାମବାସୀ ମାନେ ଜଳସମ୍ପଦ ବିଭାଗ ନିକଟରେ ଅଭିଯୋଗ କରିଥିବା ବେଳେ ଗତ ବର୍ଷ ପ୍ରାୟ ୩୭ଲକ୍ଷ୍ୟ ଟଙ୍କା ବ୍ୟୟରେ ପଥର ସ୍ପର ପାଇଁ ଟେଣ୍ଡର ହୋଇଥିଲା। ନଦୀର ଗତିପଥକୁ ବଦଳାଇବା ସକାଶେ ଉକ୍ତ ଟେଣ୍ଡରରେ ପଥର ସ୍ପର ପାଇଁ ଯୋଜନା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ କିନ୍ତୁ ଆଉ କାର୍ଯ୍ୟ ହୋଇନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଦୀକୂଳ ସୁରକ୍ଷା ଦାୟିତ୍ୱ ଯାଜପୁର ଜଳସମ୍ପଦ ବିଭାଗ ହାତରେ ରହିଥିବାରୁ ଅଧିକାରୀ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସେ ଯାହାବି ହେଉ ଆଗାମୀ ଦିନରେ ମଢ଼ିଆଳି ଗାଁକୁ ବୈତରଣୀ ଦାଉରୁ ରକ୍ଷା କରିବାକୁ ହେଲେ ଏଠାରେ ପ୍ରାୟ୮୦୦ମିଟର କୂଳ ସୁରକ୍ଷା ବନ୍ଧ ନିର୍ମାଣ ଜରୁରୀ ହୋଇପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିପ୍ରତି ସ୍ଥାନୀୟ ବିଧାୟକ, ସାଂସଦ ଓ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ସମେତ ପଞ୍ଚାୟତର ବୃଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନେ ଦାବି କରିଛନ୍ତି