ଭାରତ କମୁଛି ଗରିବଙ୍କ ସଂଖ୍ୟା,୧୫ ବର୍ଷରେ ୪୧.୫କୋଟି ଲୋକେ ଦରିଦ୍ର୍ୟ ସୀମା ରେଖା ଉପରକୁ ଉଠିଛନ୍ତି-ୟୁଏନ ରିପୋର୍ଟ
ନୂଆଦିଲ୍ଲୀ: ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ଭାରତର ପ୍ରାୟ ୪୧.୫ କୋଟି ଲୋକେ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠିଛନ୍ତି । ଏହି ମାମଲାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଏହି ଦାବି କରାଯାଇଛି । ୟୁଏନଡିପି ଏବଂ ଅକ୍ସଫର୍ଡର ମାନବ ବିକାଶ କାର୍ଯ୍ୟକ୍ରମ ଓପିଏଚଆଇ ପକ୍ଷରୁ ସୋମବାର ଜାରି କରାଯାଇଥିବା ବହୁମୁଖୀ ଗରିବୀ ସୂଚକାଙ୍କ ଏମପିଆଇରେ ଭାରତର ଦାରିଦ୍ର୍ୟ ଦୂର କରିବା ପ୍ରୟାସକୁ ପ୍ରଶଂସା କରିଛନ୍ତି ।
ଏହା ଅନୁସାରେ ୨୦୦୫-୦୬ରୁ ୨୦୧୯-୨୧ ସମୟରେ ଭାରତରେ ୪୧.୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି ।
ଏମପିଆଇ ରିପୋର୍ଟରେ ଏହି ସଫଳତାକୁ କ୍ରମାଗତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏକ ଉଲ୍ଲେଖନୀୟ ପ୍ରସାୟ ବୋଲି କୁହାଯାଇଛି । ରିପୋର୍ଟ ଅନୁସାରେ, ଏହା ଦର୍ଶାଉଛି ଯେ ବର୍ଷ ୨୦୩୦ ସୁଦ୍ଧା ଗରିବଙ୍କ ସଂଖ୍ୟାକୁ ଅଧା କରିବା ଦିଗରେ ଏକ କ୍ରମାଗତ ବିକାଶ ଲକ୍ଷ୍ୟ ସହ ଆଗକୁ ବଢି ଏହାକୁ ହାସଲ କରିପାରିବା ସମ୍ଭବ ଅଟେ । ମିଳିତ ଜାତିସଂଘ ଏକ ପ୍ରେସ ବିଜ୍ଞପ୍ତିରେ ଏହି ରିପୋର୍ଟ ବିବରଣୀ ଦେଇ କହିଛି ଯେ ଭାରତ ଏହି ୧୫ ବର୍ଷରେ ପ୍ରାୟ ୪୧.୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖା ଉପରକୁ ଆଣିବା ଏକ ଐତିହାସିକ ପରବର୍ତ୍ତନ ଅଟେ ।
ରିପୋର୍ଟ ଅନୁସାରେ ଦୁନିଆର ୧୧୧ ଦେଶରେ ମୋଟ ୧.୨ ବିଲିୟନ ଲୋକେ ଅର୍ଥାତ ଜନସଂଖ୍ୟାର ୧୯.୧ ପ୍ରତିଶତ ଲୋକେ ଅତି ଦୟନୀୟ ସ୍ଥିତିରେ ଜୀବନ ଯାପନ କରୁଛନ୍ତି । ତେବେ ଏହି ସଂଖ୍ୟାର ଅଧା ଅର୍ଥାତ ୫୯.୩ କୋଟି କେବଳ ଶିଶୁଙ୍କ ରହିଛି । ଭାରତରେ ଦାରିଦ୍ର୍ୟ ହ୍ରାସକୁ ଦୁଇଟି କାଳଖଣ୍ଡରେ ବିଭାଜନ କରାଯାଇଛି। ୨୦୦୫-୦୬ ମସିହାରୁ ୨୦୧୫-୧୬ ମଧ୍ୟରେ ପ୍ରାୟ ୨୭.୫ କୋଟି ଲୋକେ ଦାରିଦ୍ର୍ୟ ସୀମା ରେଖା ଉପରକୁ ଆସିଛନ୍ତି । ସେହିପରି ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ୧୪ କୋଟି ଲୋକେ ଏହି ସୀମା ରେଖା ଉପରକୁ ଆସିଛନ୍ତି । ଯଦି ଆଞ୍ଚଳିକ ବିପନ୍ନତା କଥା କୁହାଯାଏ ତେବେ ଭାରତର ବିହାର, ଝାଡଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ୨୦୧୫-୧୬ରୁ ୨୦୧୯-୨୧ ସମୟରେ ଗରିବଙ୍କ ସଂଖ୍ୟା ବହୁଳ ମାତ୍ରରେ ହ୍ରାସ ପାଇଛି। ଅନ୍ୟପଟେ ଗରିବଙ୍କ ଅନୁପାତ ଗ୍ରାମୀଣ କ୍ଷେତ୍ରରେ ୨୧.୨ ପ୍ରତିଶତ ରହିଛି, ସହରରେ ଏହି ଅନୁପାତ ୫.୫ ପ୍ରତିଶତ ଅଛି । ମୋଟ ଗରିବ ଲୋକଙ୍କ ସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଗ୍ରାମୀଣ କ୍ଷେତ୍ରରେ ରହିଛି ।