ମୂର୍ତ୍ତି ଉଚ୍ଚତାରେ କଟକଣା, ନିୟମ ଉଲ୍ଲଂଘନ କଲେ ଜରିମନା
ଆସନ୍ତାକାଲି ଗଣେଶ ପୂଜା। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଏଭଳି ସ୍ଥିତିରେ ମୂର୍ତ୍ତି ନିର୍ମାଣରେ କଟକଣାଲାଗିଛି। ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତିଗୁଡ଼ିକର ଉଚ୍ଚତା ୨୦ଫୁଟ୍ ରହିବ ବୋଲି ସୂଚନା ରହିଛି। ପାର୍ବଣ ଋତୁ ଆରମ୍ଭରୁ ରାଜ୍ୟ ସରକାରଙ୍କ ‘ଦି ଓଡ଼ିଶା ପ୍ରିଭେନ୍ସସନାଲ୍ ଆଣ୍ଡ୍ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ ରୁଲ୍ସ-୨୦୨୧’ ଆଧାରରେ ଏଭଳି କଟକଣା ଲଗାଯାଇଛି। ଯଦି କୌଣସି ମୂର୍ତ୍ତି କାରିଗର କିମ୍ବା ପୂଜା କମିଟି ନିୟମର ଉଲ୍ଲଂଘନ କରୁଥିବା ନଜରକୁ ଆସେ, ସ୍ଥାନୀୟ ପ୍ରଶାସନ ଜରିମାନା ଆଦାୟ କରିପାରିବେ।କେବଳ ସେତିକି ନୁହେଁ,ମେଢ଼ ସହ ମୂର୍ତ୍ତିର ଉଚ୍ଚତା ୪୦ ଫୁଟ୍ କରାଯାଇପାରିବ। ପୂଜା ଅନୁଷ୍ଠାନଗୁଡ଼ିକ ଯେତେଦୂର ସମ୍ଭବ, ଛୋଟ ମୂର୍ତ୍ତି ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବେ।ମୂର୍ତ୍ତିଗୁଡ଼ିକ ପରିବେଶ ଅନୁକୂଳ ହେବାର ଆବଶ୍ୟକ ରହିଛି।ପଞ୍ଚାୟତସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳର ପୂଜା କମିଟିକୁ ୫ ହଜାର, ମହାନଗର ନିଗମ ଅଞ୍ଚଳର ପୂଜା କମିଟିଗୁଡ଼ିକ ଲାଗି ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ସ୍ଥାନୀୟ ପ୍ରଶାସନ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ଜରିମାନା ଆକାରରେ ଏହାକୁ ଆଦାୟ କରିବେ।ପାର୍ବଣକୁ ପ୍ରଦୂଷଣମୁକ୍ତ କରିବା ଲାଗି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ ଜାରି ନିୟମାବଳୀରେ ଏଭଳି କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଯେଉଁଥିରେ ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ତଥା କାଳୀ ପୂଜାକୁ କେଉଁଭଳି ଭାବେ ପ୍ରଦୂଷଣମୁକ୍ତ କରିହେବ, ସେନେଇ ଉଲ୍ଲେଖ ହୋଇଛି। ପୂଜା କମିଟି, ଜିଲ୍ଲା ପ୍ରଶାସନ, ସାଧାରଣ ଜନତା କ’ଣ କରିବେ, ସେନେଇ ମଧ୍ୟ କୁହାଯାଇଛି। ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଗୋଟିଏପଟେ ଗଣେଶ ପୂଜା ଲାଗି ମୂର୍ତ୍ତି ନିର୍ମାଣ ଶେଷ ହୋଇସାରିଛି। ସବୁ ପୂଜା ଅନୁଷ୍ଠାନ ମନଇଚ୍ଛା ମୂର୍ତ୍ତି ନିର୍ମାଣ କରିଛନ୍ତି।କେଉଁଠି ୪୦ଫୁଟ୍ର ମୂର୍ତ୍ତି ତ କେଉଁଠି ୨୫ ଫୁଟର; ରାତି ପାହିଲେ ମଣ୍ଡପରେ ପୂଜା ପାଇବେ ଗଜାନନ। ଅନ୍ୟପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମାବଳୀକୁ ନେଇ ସମସ୍ତେ ଚିନ୍ତାରେ। ଯଦି ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯାଏ, ତେବେ ବହୁ ପୂଜା ମଣ୍ଡପ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଜିଲ୍ଲା ପ୍ରଶାସନ ଓ ପୌରାଞ୍ଚଳ କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ। ମୂର୍ତ୍ତି ବିସର୍ଜନ ହେବାର ୨୪ଘଣ୍ଟା ମଧ୍ୟରେ ଅସ୍ଥାୟୀ ପୋଖରୀ ମଧ୍ୟରୁ ବିସର୍ଜିତ ସାମଗ୍ରୀକୁ ବାହାର କରି ନିର୍ଦ୍ଦିଷ୍ଟ ମ୍ୟୁନିସିପାଲ ଡମ୍ପସାଇଟ୍କୁ ସ୍ଥାନାନ୍ତର କରିବେ।